📞 +91 9583789855 📧 info@asmitatv.in
Asmita TV Logo

ଉଚ୍ଚ ଶିକ୍ଷାନୁଷ୍ଠାନରେ ଛାତ୍ରୀ ଅସୁରକ୍ଷିତ, କଂଗ୍ରେସ କଲା ପୋଷ୍ଟ ମଟମ୍
May 08, 2026

ଉଚ୍ଚ ଶିକ୍ଷାନୁଷ୍ଠାନରେ ଛାତ୍ରୀ ଅସୁରକ୍ଷିତ, କଂଗ୍ରେସ କଲା ପୋଷ୍ଟ ମଟମ୍

ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ ଛାତ୍ରୀମାନେ ଅସୁରକ୍ଷିତ ହୋଇପଡିଛନ୍ତି। ଖୋଦ୍ ଅଧ୍ୟାପକମାନେ ସେମାନଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ହେଉଛନ୍ତି। ଅଭିଯୋଗ ସତ୍ତ୍ୱେ ଉଚ୍ଚଶିକ୍ଷା ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ। ବରଂ ଅଭିଯୁକ୍ତଙ୍କୁ ସୁରକ୍ଷା ଦେବାକୁ ତତ୍ପର ହେଉଛି। ଫଳରେ ଉଚ୍ଚ ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସୁରକ୍ଷା ବିପନ୍ନ ହୋଇପଡ଼ିଛି। ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯଦି ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରୁ ନାହାନ୍ତି, ତେବେ ଅପାରଗ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ବିଦା କରନ୍ତୁ ବୋଲି କଂଗ୍ରେସ ମୁଖପାତ୍ର ତଥା ଛାତ୍ରନେତା ବିଭୂତି ଭୂଷଣ ମହାପାତ୍ର ଦାବି କହିଛନ୍ତି। ଗୁରୁବାର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର ଛାତ୍ରୀଙ୍କ ସୁରକ୍ଷାକୁ ନେଇ ଉଦବେଗ ପ୍ରକାଶ କରିବା ସହିତ ଅଭିଯୁକ୍ତଙ୍କ ବିରୋଧରେ ସରକାରଙ୍କ ନରମ ଆଭିମୁଖ୍ୟ ପୋଷଣ କରୁଥିବାରୁ କଡ଼ା ସମାଲୋଚନା କରିଛନ୍ତି।


ସେ କହିଛନ୍ତି ଯେ, ଉଚ୍ଚ ଶିକ୍ଷାନୁଷ୍ଠାନରେ ଛାତ୍ରୀମାନେ ଅସୁରକ୍ଷିତ ଥିବା ସାରା ରାଜ୍ୟରୁ ଅଭିଯୋଗ ଆସୁଛି। ହେଲେ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ନିଦାବିଷ୍ଣୁ ସାଜିଛନ୍ତି। ଭାତ ହାଣ୍ଡିରୁ ଗୋଟିଏ ଚିପୁଡିଲା ପରି ସମସ୍ତ ଅଭିଯୋଗ ମଧ୍ୟରୁ ଗୋଟିଏ ଅଭିଯୋଗର ସେ ପୋଷ୍ଟ-ମଟମ୍ କରିଛନ୍ତି। କୌଣସି ଉପାନ୍ତ ଅଞ୍ଚଳ ନୁହେଁ, ବରଂ ରାଜଧାନୀର ଛାତି ଉପରେ ଥିବା ପ୍ରତିଷ୍ଠିତ ବିଜେବି କଲେଜରେ ଛାତ୍ରୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବା ଓଡ଼ିଆ ଅଧ୍ୟାପକ ଶୁଭ୍ରାଂଶୁ ବେହେରାଙ୍କୁ ସରକାର କିପରି ଘୋଡାଇବାକୁ ପ୍ରୟାସ କରୁଛନ୍ତି ତାହାର ପୋଲ୍ ଖୋଲିଛନ୍ତି। ଅଧ୍ୟାପକ ଶ୍ରୀ ବେହେରାଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ (ଆରଡିଇ) ତଦନ୍ତ କରିଥିଲେ। ଅଧ୍ୟାପକ ଜଣକ ଛାତ୍ରୀଙ୍କୁ ବ୍ୟାଡ୍ ଟଚ୍ କରିବା ସହ ଅଶ୍ଳୀଳ ଇଙ୍ଗିତ କରିବା, ଦ୍ୱିଅର୍ଥ ବୋଧକ ଶବ୍ଦ କହିବା, ଛାତ୍ରୀଙ୍କ ଅଙ୍ଗଭଙ୍ଗୀକୁ ଇଙ୍ଗିତ କରୁଥିବା ଅଭିଯୋଗର ସତ୍ୟତା ରହିଥିବା ତଦନ୍ତ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। କେବଳ ଏତିକି ନୁହେଁ, ଛାତି ଥରାଇ ଦେବା ଭଳି କଥା ଛାତ୍ରୀମାନେ ଲିଖିତ ଭାବେ ଦେଇଛନ୍ତି। ଏହାକୁ ସଂଲଗ୍ନ କରିବା ସହିତ ଛାତ୍ରୀଙ୍କ ପ୍ରତି ଶ୍ରୀ ବେହେରାଙ୍କ ବ୍ୟବହାର ସଠିକ୍ ନୁହେଁ ଏବଂ ସେ ଜଣେ ନିୟମିତ ଅପରାଧକାରୀ ବୋଲି ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଏହାସତ୍ତ୍ୱେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ବରଂ ଅଭିଯୁକ୍ତଙ୍କୁ ପ୍ରୋମୋସନ ସ୍ଵରୁପ ଉଚ୍ଚଶିକ୍ଷା ବିଭାଗରେ ଥଇଥାନ କରଯାଉଛି। ଅପରପକ୍ଷରେ ଏହି ଘଟଣାକୁ ଘୋଡାଇ ସମ୍ପୃକ୍ତ ଅଧ୍ୟାପକଙ୍କୁ ଘଣ୍ଟ ଘୋଡାଇବା ପାଇଁ ଉଚ୍ଚଶିକ୍ଷା ବିଭାଗ ପ୍ରୟାସ କରୁଛି। RDE ଙ୍କ ତଦନ୍ତ ପରେ ପୁଣି ଥରେ କଲେଜର ICC କମିଟିକୁ ତଦନ୍ତ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି। RDE ଙ୍କ ଚାଞ୍ଚଲ୍ୟକର ରିପୋର୍ଟ ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ବଦଳରେ କାହିଁକି ICC କମିଟିକୁ ପଠାଯାଇଛି ବୋଲି ପ୍ରଶ୍ନ କରିବା ସହିତ RDE ବଡ଼ ନା IIC ବଡ଼ ଉଚ୍ଚଶିକ୍ଷା ମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି।


ଅନୁରୂପ ଭାବେ ସେହି ବିଜେବି କଲେଜର କମ୍ପୁଟର ସାଇନ୍ସ ଅଧ୍ୟାପକ ପାଣ୍ଡବ ପ୍ରଧାନ, ରମାଦେବୀ +2 ମହିଳା କଲେଜର ପୂର୍ବତନ ଅର୍ଥନୀତି ଅଧ୍ୟାପକ ଦୀପ୍ତି ରଞ୍ଜନ ନନ୍ଦ, ଫକୀର ମୋହନ କଲେଜର ଓଡ଼ିଆ ଅଧ୍ୟାପକ ସନ୍ତୋଷ କୁମାର ନାୟକଙ୍କ ବିରୋଧରେ ଛାତ୍ରୀଙ୍କୁ ନିର୍ଯ୍ୟାତନା ଅଭିଯୋଗ ରହିଥିଲେ ମଧ୍ୟ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ସେହିପରି ସମାନ ମନ୍ତ୍ରୀଙ୍କ ସଂସ୍କୃତି ଓ ଭାଷା ସାହିତ୍ୟ ବିଭାଗ ଅଧୀନରେ ଥିବା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରମାନେ ଅଧ୍ୟାପକଙ୍କ ନିର୍ଯ୍ୟାତନାର ଅତିଷ୍ଠ ହୋଇ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଅଭିଯୁକ୍ତ ଅଧ୍ୟାପକ ଓ ଅଧ୍ୟକ୍ଷଙ୍କ ବିରୋଧରେ ଉଚ୍ଚଶିକ୍ଷା ମନ୍ତ୍ରୀ ଯଦି କାର୍ଯ୍ୟାନୁଷ୍ଠାନ ନେଇପାରୁ ନାହାନ୍ତି, ତେବେ ସେହିପରି ଅପାରଗ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ଡଳରୁ ବାଦ୍ ଦିଅନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମହିଳା କଂଗ୍ରେସ ମୁଖପାତ୍ର ଶ୍ରୀମତୀ ଜୟସ୍ମିତା ମହାନ୍ତି ମଧ୍ୟ ଉପସ୍ଥିତ ରହି ଛାତ୍ରୀଙ୍କ ସୁରକ୍ଷାକୁ ନେଇ ଉଦବେଗ ପ୍ରକାଶ 

Author : asmitatv live Date: 2026-05-08

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved