ଭୁବନେଶ୍ୱର: ଆସନ୍ତା 16 ତାରିଖରେ ହେବାକୁ ଥିବା ରଥଯାତ୍ରା ପାଇଁ ବିଏମ୍ ସି ପକ୍ଷରୁ ବ୍ୟାପକ ବିଦ୍ୟୁତ୍ ଆଲୋକ ବ୍ୟବସ୍ଥା କରାଯାଉଛି । ଭୁବନେଶ୍ୱର ମହାନଗର ନିଗମ ଅଂଚଳର ବିଭିନ୍ନସ୍ଥାନରେ ରଥଯାତ୍ରା ହେଉଥିବାରୁ ସଂପୃକ୍ତ ଅଂଚଳରେ ସ୍ୱତନ୍ତ୍ରଭାବେ ସର୍ଭେ କରାଯାଇ ଦୁର୍ବଳ କିମ୍ବା ବିପଦ ସଂକୁଳ ଅବସ୍ଥାରେ ଥିବା ବିଏମ୍ ସି ଓ ଟିପିସିଓଡିଏଲ୍ ବିଦ୍ୟୁତ୍ ଖୁଣ୍ଟଗୁଡିକୁ ହଟାଇ ସେଠାରେ ନୂଆ ଖୁଣ୍ଟ ପୋତୁଛନ୍ତ । ଯେଉଁଠାରେ ବିଦ୍ୟୁତ୍ ବଲ୍ ଜଳୁ ନଥିଲା ସେଗୁଡିକରେ ବିଏମ୍ ସି ପକ୍ଷରୁ ନୂତନ ବଲ୍ ଲଗାଯାଉଛି । ପୂର୍ବରୁ ହୋଇଥିବା ପ୍ରସ୍ତୁତି ବୈଠକରେ, ରଥଯାତ୍ରା ପୂର୍ବରୁ ବିଦ୍ୟୁତ୍ ମରାମତି କାମ ଶେଷ କରିବା ପାଇଁ ଉଭୟ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ ଓ କମିଶନର ଶ୍ରୀ ଚଞ୍ଚଳ ରାଣା, ବିଏମ୍ ସି ବିଦ୍ୟୁତ୍ ଉପବିଭାଗ ଓ ଟିପିସିଓଡିଏଲକୁ ନିର୍ଦେଶ ଦେଇଥିଲେ । କେବଳ ସେତିକି ନୁହେଁ, ତିନି ଜୋନର ଜୋନାଲ କମିଶନରଙ୍କ ତତ୍ତ୍ୱାବଧାନରେ ଝୁଲି ରହିଥିବା କେବଲୁ କଟିଂ କାର୍ଯ୍ୟ ଜାରି ରହିଥିବା ବେଳେ ବିଦ୍ୟୁତ୍ ତାର ସଜାଡିବା କାମ ମଧ୍ୟ ଚାଲିଛି । ମୁଖ୍ୟତଃ ଯେଉଁ ଅଞ୍ଚଳରେ ରଥଯାତ୍ରା ହେଉଛି, ସେ ଅଂଚଳରେ ଯେପରି ବିଦ୍ୟୁତ୍ ଜନିତ କୌଣସି ଅଘଟଣ ନ ଘଟେ, ସେଥିପାଇଁ ସତର୍କତା ମୂଳକ ପଦକ୍ଷେପ ନେବାକୁ ତାଗିଦ କରାଯାଇଥିଲା । ସେହି ଅନୁସାରେ କାର୍ଯ୍ୟ ଜାରି ରହିଛି ।
ଏହି କ୍ରମରେ ଗୁରୁବାର ସଂଧ୍ୟାରେ ସହରର ବିଭିନ୍ନ ସ୍ଥାନ ଯଥା-22 ନମ୍ବର ଓ୍ୱାର୍ଡ ଅନ୍ତର୍ଗତ ଆୟୁର୍ବେଦିକ ଡାକ୍ତରଖାନା ସମ୍ମୁଖରେ ଏକ ହାଇମାଷ୍ଟ ଲାଇଟ୍ ଉଦ୍ଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ, ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର, ବିଏମ୍ ସି ବିଦ୍ୟୁତ୍ ଉପବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବର୍ଷା ପ୍ରଧାନ, ପ୍ରମୁଖ ଉପସ୍ଥିତ ଥିଲେ । ପରେ ଲିଙ୍ଗରାଜ ମାର୍କେଟ ଅଂଚଳ, ପଳାଶପଲ୍ଲୀ, ପୁନାମା ଗେଟ୍ ଏବଂ ସ୍ପ୍ରିଙ୍ଗ ଟ୍ୟାଙ୍କ ନିକଟରେ ମଧ୍ୟ ହାଇମାଷ୍ଟ ଲାଇଟକୁ ମାନନୀୟା ମେୟର ଶ୍ରୀମତୀ ଦାସ ଉଦ୍ଗାଟନ କରିଛନ୍ତି । ଏହି ସବୁ କାର୍ଯ୍ୟକ୍ରମରେ ବିଭିନ୍ନ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ, ଅଧ୍ୟକ୍ଷା, ସ୍ଥାନୀୟ କର୍ପୋରେଟରଙ୍କ ସହ ବହୁ କର୍ପୋରେଟର, ବିଏମ୍ ସିର ବରିଷ୍ଠ ଅଧିକାରୀ, ବରିଷ୍ଠ ନାଗରିତ, ବିଭିନ୍ନ ସଂଗଠନର କର୍ମକର୍ତ୍ତା ଏବଂ ସ୍ଥାନୀୟ ବାସିନ୍ଦା ସାମିଲ ହୋଇଥିଲେ ।
ଅନ୍ୟପକ୍ଷରେ ପୁରୀରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ କଟକ-ପୁରୀ ବାଇପାସ ହାଇଟେକ୍ ଛକରୁ ଲିଙ୍ଗିପୁର ପର୍ଯ୍ୟନ୍ତ ସମସ୍ତ ଲାଇଟ୍ ପୋଷ୍ଟକୁ ତନ୍ନତନ୍ନ କରି ଯାଞ୍ଚ କରାଯାଇଛି । ଅଚଳ ହୋଇପଡିଥିବା ଆଲୋକକୁ ମରାମତି କରାଯିବା ସହ ଅନେକସ୍ଥାନରେ ନୂତନ ବଲ୍ ଲାଗୁଛି । ଯେଉଁଠାରେ କେବୁଲ ଖରାପ ହୋଇଛି, ସେଠାରେ ନୂତନ କେବୁଲ୍ ମଧ୍ୟ ଲାଗୁଛି । ଏହି ରାସ୍ତାରେ ଯେପରି ବିଦ୍ୟୁତ୍ ଆଲୋକ ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଠିକ୍ ରହିବ, ସେଥିପ୍ରତି ଗୁରୁତ୍ୱାରୋପ କରିଛି ବିଏମ୍ ସି । କାରଣ ଏହି ରାସ୍ତା ଦେଇ ରାଜ୍ୟ ଓ ରାଜ୍ୟ ବାହାରର ଅଧିକାଂଶ ଲୋକ ପୁରୀ ଯିବେ । ପୁରୀର ଏହା ଏକ ପ୍ରମୁଖ ପ୍ରବେଶ ପଥ ହୋଇଥିବାରୁ ଏହି ରାସ୍ତାର କୌଣସି ସ୍ଥାନରେ ଯେପରି ସାମାନ୍ୟତମ ଅନ୍ଧାର ନ ରୁହେ, ସେଥିପ୍ରତି ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି କମିଶନର ଶ୍ରୀ ରାଣା।