ଓଡ଼ିଶା ଦିବସ ଅବସରରେ ରାଜ୍ୟର ଗୌରବମୟ ଐତିହ୍ୟ, ସଂସ୍କୃତି ଓ ସ୍ୱାଭିମାନକୁ ସ୍ମରଣ କରାଯାଇଥିବା ବେଳେ ଓଡ଼ିଆ ଜାତିର ଗୌରବ ବରପୁତ୍ରମାନଙ୍କ ଅସାଧାରଣ ଅବଦାନକୁ ଶ୍ରଦ୍ଧାର ସହ ସ୍ମରଣ କରାଯାଇଥିଲା। ଉତ୍କଳର ଏହି ମହାନ ବ୍ୟକ୍ତିତ୍ୱମାନେ ନିଜର ତ୍ୟାଗ, ସଂଗ୍ରାମ ଓ ସମାଜସେବା ମାଧ୍ୟମରେ ଓଡ଼ିଶାର ପରିଚୟକୁ ଗଢ଼ି ତୋଳିଥିବାରୁ ସେମାନଙ୍କର ଆଦର୍ଶ ସଦା ପିଢ଼ି ପାଇଁ ପଥପ୍ରଦର୍ଶକ ହୋଇ ରହିବ ବୋଲି ଏହି ଅବସରରେ ମତ ପ୍ରକାଶ ପାଇଥିଲା।
ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଭୁବନେଶ୍ୱର ସହରର ବିଭିନ୍ନ ସ୍ଥାନରେ ସ୍ଥାପିତ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ଗରିମାମୟ ପରିବେଶରେ ମାଲ୍ୟାର୍ପଣ କରାଯାଇଥିଲା। ରାଜଭବନ ଛକସ୍ଥିତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ସହିତ ସହରର ବିଭିନ୍ନ ସ୍ଥାନରେ ସ୍ଥାପିତ ଉତ୍କଳମଣି ଗୋପବନ୍ଧୁ ଦାସ, ବ୍ୟାସକବି ଫକୀର ମୋହନ ସେନାପତି, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ, ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଓ ଅନ୍ୟାନ୍ୟ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସେମାନଙ୍କ ପବିତ୍ର ସ୍ମୃତିକୁ ନମନ କରାଯାଇଥିଲା।
ଏହି ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସହରର ବିଭିନ୍ନ ସ୍ଥାନରେ ଦେଶାତ୍ମବୋଧକ ସଙ୍ଗୀତ ପ୍ରସାରଣ କରାଯାଇଥିଲା, ଯାହା ଲୋକମାନଙ୍କ ମନରେ ଦେଶପ୍ରେମ ଓ ଓଡ଼ିଆ ସ୍ୱାଭିମାନର ଭାବନାକୁ ଜାଗୃତ କରିଥିଲା।
କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀମାନେ, ଉତ୍କଳ ସମ୍ମିଳନୀର ସଦସ୍ୟମାନେ, ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତାମାନେ, ବହୁ ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀମାନେ ଯୋଗଦେଇ ବରପୁତ୍ରମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ଓଡ଼ିଶା ଦିବସ ଆମକୁ ରାଜ୍ୟର ଐତିହ୍ୟ, ସଂସ୍କୃତି ଓ ଏକତାକୁ ସ୍ମରଣ କରାଇବା ସହ ଉନ୍ନତ ଓ ସଶକ୍ତ ଓଡ଼ିଶା ଗଢ଼ିବା ପାଇଁ ଆମକୁ ପ୍ରେରଣା ଦେଇଥାଏ ବୋଲି ଏହି ଅବସରରେ ମତ ପ୍ରକାଶ ପାଇଥିଲା।
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved