ଭୁବନେଶ୍ୱର : ଏଣିକି ସରକାରୀ କର୍ମଚାରୀ ପଢ଼ିବେ ଏ.ଆଇ ଓ ସାଇବର ସୁରକ୍ଷା ପାଠ। ସରକାରୀ ଅଫିସରେ ଏବେ ଫାଇଲ୍ ପତ୍ର ସହ ଖେଳିବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ପାଠ । ସରକାରୀ କର୍ମଚାରୀମାନେ ଏବେ କେବଳ ପୁରୁଣା ପଦ୍ଧତିରେ ନୁହେଁ, ବରଂ ଅତ୍ୟାଧୁନିକ ଏ.ଆଇ ଏବଂ ସାଇବର ସୁରକ୍ଷା ପାଠ୍ୟକ୍ରମରେ ନିଜକୁ ଦକ୍ଷ କରିବେ । ରାଜ୍ୟର ପ୍ରାଶାସନିକ ମାନଦଣ୍ଡକୁ ଜାତୀୟ ସ୍ତରରେ ଶୀର୍ଷକୁ ନେବା ପାଇଁ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କୁହାଯାଉଛି । ଏହି ମିସନର ସବୁଠାରୁ ବଡ଼ ଦିଗ ହେଉଛି ପ୍ରତି ମାସର ଟାର୍ଗେଟ୍। ଏଣିକି ପ୍ରତ୍ୟେକ କର୍ମଚାରୀଙ୍କୁ ମାସକୁ ଅତିକମରେ ଗୋଟିଏ ଏ.ଆଇ ପାଠ୍ୟକ୍ରମ ଶେଷ କରିବାକୁ ପଡ଼ିବ । ଯେଉଁମାନେ ଗୋଟିଏରୁ ଅଧିକ ପାଠ୍ୟକ୍ରମ ସାରିବେ, ସେମାନଙ୍କର ବ୍ୟକ୍ତିଗତ ଏବଂ ବିଭାଗୀୟ ରାଙ୍କିଂରେ ବଡ଼ ଧରଣର ବୃଦ୍ଧି କରାଯିବ। ମୁଖ୍ୟତଃ ତିନୋଟି ଦିଗ ଉପରେ ଏହି ଯୋଜନା କାମ କରୁଛି ସରକାରୀ ପରିସଂଖ୍ୟାନର ରିପୋର୍ଟ କହୁଛି, 2026 ମାର୍ଚ୍ଚ ସୁଦ୍ଧା ରାଜ୍ୟରେ ଏକ ବିରାଟ ସଫଳତା ମିଳିସାରିଛି। 17 ଲକ୍ଷ 70 ହଜାର 333 ଜଣ ପଞ୍ଜୀକୃତ କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ 13 ଲକ୍ଷ 40 ହଜାର 856 ଜଣ କର୍ମଚାରୀ ସଫଳତାର ସହ ଏ.ଆଇ ପାଠ୍ୟକ୍ରମ ଶେଷ କରି ଡିଜିଟାଲ୍ ସାର୍ଟିଫିକେଟ୍ ହାସଲ କରିଛନ୍ତି। ନିକଟରେ ନିଯୁକ୍ତି ପାଇଥିବା 3 ଲକ୍ଷ 77 ହଜାର 754 ଜଣ କର୍ମଚାରୀଙ୍କ ପାଇଁ ମଧ୍ୟ ଏହି ଟ୍ରେନିଂକୁ ବାଧ୍ୟତାମୂଳକ କରାଯାଇଛି। ଏହି ପଦକ୍ଷେପ ଦ୍ୱାରା ପ୍ରାଶାସନିକ କାର୍ଯ୍ୟରେ କେବଳ ସ୍ୱଚ୍ଛତା ଆସିବ ନାହିଁ, ବରଂ ଜନସାଧାରଣଙ୍କ ସମସ୍ୟାର ସମାଧାନ ଏବେ ଚୁଟକିରେ ହୋଇପାରିବ। ଡିଜିଟାଲ୍ ଯୁଗର ଏହି ନୂଆ ଦୁନିଆରେ ନିଜକୁ ପ୍ରସ୍ତୁତ ରଖିବା ପାଇଁ ସରକାରୀ ବାବୁମାନେ ଏବେ ‘ଟେକ୍-ସାଭି’ ହେବାକୁ ଯାଉଛନ୍ତି । ଏହି ପଦକ୍ଷେପ ଆଗାମୀ ଦିନରେ ରାଜ୍ୟର ପ୍ରଗତି ପାଇଁ ଏକ ବଡ଼ ମାଇଲଖୁଣ୍ଟ ହେବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved