📞 +91 9583789855 📧 info@asmitatv.in
Asmita TV Logo

ଓ୍ବାଟକୋର ଐତିହାସିକ ସଫଳତା: ସମସ୍ତ ୨୯ ସହରାଞ୍ଚଳରେ ୧୦୦% ଜଳ ଯୋଗାଣ ସୁନିଶ୍ଚିତ
May 09, 2026

ଓ୍ବାଟକୋର ଐତିହାସିକ ସଫଳତା: ସମସ୍ତ ୨୯ ସହରାଞ୍ଚଳରେ ୧୦୦% ଜଳ ଯୋଗାଣ ସୁନିଶ୍ଚିତ

ଭୁବନେଶ୍ୱର, ୯ ମେ, ୨୦୨୬: 

ଓଡ଼ିଶା ଜଳ ନିଗମ (WATCO) ସହରାଞ୍ଚଳ ନାଗରିକ ସେବା କ୍ଷେତ୍ରରେ ଏକ ଐତିହାସିକ ମାଇଲଷ୍ଟୋନ୍ ଅର୍ଜନ କରିଛି। ନିଗମ ନିଜ ଅଧୀନରେ ଥିବା ସମସ୍ତ ୨୯ଟି ସହରାଞ୍ଚଳରେ ଶତପ୍ରତିଶତ ଘରୋଇ ପାଇପ୍ ଜଳ ସଂଯୋଗ ସୁନିଶ୍ଚିତ କରି ସାର୍ବଜନୀନ ଜଳ ଯୋଗାଣ ଲକ୍ଷ୍ୟ ପୂରଣ କରିଛି। ଏହି ସଫଳତା ସହ ରାଜ୍ୟର ସହରାଞ୍ଚଳ ଜଳ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନ ସୁଦୃଢ଼ କରିଛି।

 ନିକଟରେ ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଓ୍ବାଟକୋର ଏହି ସଫଳତା ସହିତ ଆଗାମୀ ଜଳ ଓ ସ୍ୱେରେଜ୍ ଭିତ୍ତିଭୂମି ବିକାଶ ରୋଡମ୍ୟାପ୍ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।

୨୦୨୬ ମାର୍ଚ୍ଚ ସୁଦ୍ଧା ଓ୍ବାଟକୋ ପ୍ରାୟ ୭,୬୩,୦୮୨ଟି ଘରୋଇ ସଂଯୋଗ ମାଧ୍ୟମରେ ୪.୯୧ ନିୟୁତରୁ ଅଧିକ ସହରବାସୀଙ୍କୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଆସୁଛି। “ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍” ଅଭିଯାନ ଏହି ପ୍ରୟାସକୁ ଅଧିକ ଗତିଶୀଳ କରିଛି। ବର୍ତ୍ତମାନ ୧୧ଟି ସହରାଞ୍ଚଳରେ ୨୪x୭ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସଫଳତାର ସହ ଚାଲିଥିବାବେଳେ, ଅନ୍ୟ ୧୭ଟି ସହରରେ ଏହାର ସମ୍ପ୍ରସାରଣ କାର୍ଯ୍ୟ ଜୋରଦାର ଭାବେ ଅଗ୍ରସର ହେଉଛି।

ଓ୍ବାଟକୋର ବର୍ତ୍ତମାନ ମୋଟ ଜଳ ଯୋଗାଣ କ୍ଷମତା ୯୮୮.୮୯ ଏମ୍ ଏଲ୍ ଡିରେ ପହଞ୍ଚିଥିବାବେଳେ ସହରାଞ୍ଚଳର ବର୍ତ୍ତମାନ ଚାହିଦା ୭୦୦.୬୭ ଏମ୍ ଏଲ୍ ଡି ରହିଛି। ଏହି ଅତିରିକ୍ତ କ୍ଷମତା ଆଗାମୀ ଦିନରେ ରାଜ୍ୟର ଦୀର୍ଘମିଆଦି ଜଳ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବ।

୨୦୨୫-୨୬ ଆର୍ଥିକ ବର୍ଷରେ ଓ୍ବାଟକୋ ନିଜର ୯୧୨ କୋଟି ଟଙ୍କାର ବଜେଟକୁ ଶତପ୍ରତିଶତ ବ୍ୟୟ କରିଥିବା ସହିତ  ଅମୃତ ଏବଂ ଓଏମବିଏଡିସି (OMBADC) ପରି ଯୋଜନା ମାଧ୍ୟମରେ ଅତିରିକ୍ତ ୫୦୦ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ କରି ଜଳ ଭିତ୍ତିଭୂମିକୁ ସୁଦୃଢ଼ କରିଛି। ଏହି ଧାରାକୁ ଜାରି ରଖି ୨୦୨୬-୨୭ ପାଇଁ ୯୨୦ କୋଟି ଟଙ୍କାର ଏକ   ମହତ୍ବଙ୍କାକ୍ଷୀ କାର୍ଯ୍ୟଯୋଜନା ପ୍ରସ୍ତୁତ ହୋଇଛି, ଯେଉଁଥିରେ ସ୍ୱେରେଜ୍ ଭିତ୍ତିଭୂମି ବିକାଶ ପାଇଁ ୨୫୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି।

Author : asmitatv live Date: 2026-05-09

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved