ଭୁବନେଶ୍ୱର
20 ମେ ୨୦୨୬
କୋଲକାତାରେ ଅବସ୍ଥାପିତ ଜାପାନର କନସୁଲ୍ ଜେନେରାଲ ମିଷ୍ଟର ଇସିକାୱା ୟୋସିହିସା ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଜାପାନ ଓ ଓଡିଶା ମଧ୍ୟରେ ସହଭାଗୀତା ବୃଦ୍ଧି ପାଇଁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।
ଏହି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓଡିଶାର ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପରେ ଜାପାନର ସହଯୋଗ ଏବଂ କ୍ରମବର୍ଦ୍ଧିଷ୍ଣୁ ବାଣିଜ୍ୟିକ ସମ୍ପର୍କ ପାଇଁ ଜାପାନର ଉଚ୍ଚ ପ୍ରଶଂସା କରିଥିଲେ। ଆଗାମୀ ଦିନରେ ଜାପାନ ଓଡିଶାରେ ଅଧିକ ନିବେଶ କରିବା ସହିତ ଓଡିଶାର ଶିଳ୍ପାୟନ ପ୍ରକ୍ରିୟାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ।
କନସୁଲ ଜେନେରାଲ୍ ମିଷ୍ଟର ଇସିକାୱା ଉଭୟ ଜାପାନ ଓ ଓଡିଶା ମଧ୍ୟରେ ଥିବା ଐତିହାସିକ କଳା, ଐତିହ୍ୟ ଓ ସାଂସ୍କୃତିକ ସମ୍ପର୍କ ଉପରେ ଆଲୋକପାତ କରିଥିଲେ। ଓଡିଶାର ସାମାଜିକ ଓ ଆର୍ଥିକ ବିକାଶ ଉଦ୍ୟମରେ ଜାପାନ ସବୁବେଳେ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ସେ କହିଥିଲେ।
ବୈଠକର ନିଷ୍ପତ୍ତି ଅନୁଯାୟୀ ଜାପାନର ଏକ ରାଜ୍ୟ ‘ତୋତ୍ତୋରି’ (Tottori Prefecture) ଓ ଓଡିଶା ମଧ୍ୟରେ ସହଭାଗୀତା ହେବ। ଏହି ଉଭୟ ରାଜ୍ୟ ‘ସିଷ୍ଟର ଷ୍ଟେଟ୍ସ’ ଭାବରେ କାର୍ଯ୍ୟ କରିବେ। ଉଭୟ ରାଜ୍ୟର ଉଚ୍ଚସ୍ତରୀୟ ଡେଲିଗେସନ ଆଗାମୀ ଦିନରେ ପରସ୍ପର ରାଜ୍ୟକୁ ଗସ୍ତ କରିବେ। ପରବର୍ତ୍ତୀ ସମୟରେ ଓଡିଶାର ମୁଖ୍ୟମନ୍ତ୍ରୀ ଏବଂ ତୋତ୍ତୋରି’ର ରାଜ୍ୟପାଳ ଏହି ପାର୍ଟନରସିପ୍ ସମ୍ପର୍କରେ ଅଧିକୃତ ଘୋଷଣା କରିବେ।
ଏହା ସହିତ ଓଡିଶାର ଯୁବକମାନେ କିପରି ଜାପାନରେ ଅଧିକ ନିଯୁକ୍ତି ପାଇବେ, ସେ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ବୈଠକର ନିଷ୍ପତ୍ତି ଅନୁଯାୟୀ ଆଗାମୀ ଦିନରେ ଜାପାନର ରିକ୍ରୁଟମେଣ୍ଟ ଏଜେନ୍ସି ମାନେ ଓଡିଶାରେ କାମ କରିବେ। ଓଡିଶାର ଯୁବକ ଯୁବତୀ ମାନେ ଯେପରି ଅଧିକ ସଂଖ୍ୟାରେ ଜାପାନରେ ନିଯୁକ୍ତି ପାଇପାରିବେ, ସେଦିଗରେ ଏହି ସଂସ୍ଥାମାନେ ସହଯୋଗ ଯୋଗାଇଦେବେ।
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved