ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ପୂର୍ବ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ମେଟ୍ରୋ ପ୍ରକଳ୍ପକୁ ରାଜ୍ୟ ସରକାର ବାତିଲ କରିବା ନିଷ୍ପତ୍ତିକୁ ନେଇ ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜୁ ଜନତା ଦଳ ।
ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ଭୁବନେଶ୍ୱର ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା, ଭୁବନେଶ୍ୱର (ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, କଟକ ମେୟର ଶ୍ରୀ ସୁବାଷ ସିଂ ଓ ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ ରାଜ୍ୟ ବିଜେପି ସରକାରଙ୍କ ମେଟ୍ରୋ ପ୍ରକଳ୍ପର ବାତିଲ ନିଷ୍ପତ୍ତିକୁ ବିରୋଧ କରିବା ସହିତ ଏହାର ପୁନଃବିଚାର କରିବା ପାଇଁ ଦାବି କରିଥିଲେ ।
ଶ୍ରୀ ଅଶୋକ ପଣ୍ଡା କହିଛନ୍ତି, ରାଜଧାନୀ ଭୁବନେଶ୍ୱର ଓ କଟକ ସହରର ବାସିନ୍ଦାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଦୁଇ ସହର ମଧ୍ୟରେ ଗମନା ଗମନର ଉନ୍ନତି ପାଇଁ ମେଟ୍ରୋ ପ୍ରକଳ୍ପକୁ ଆରମ୍ଭ କରାଯାଇଥିଲା । ଦୁଃଖ ଓ ପରିତାପର ବିଷୟ, ରାଜ୍ୟ ବିଜେପି ସରକାର ହିନମନ୍ୟତାର ପରିଚୟ ଦେଇ ଏଭଳି ନିଷ୍ପତ୍ତି ନେଇଛନ୍ତି । ମେଟ୍ରୋ ପ୍ରକଳ୍ପକୁ ବନ୍ଦ କରାଯିବାକୁ ନେଇ ମନ୍ତ୍ରୀମାନେ ଭିନ୍ନ ଭିନ୍ନ କଥା କହୁଛନ୍ତି, ଏହା କେବଳ ରାଜ୍ୟବାସୀଙ୍କୁ ଭ୍ରମିତ କରିବା ପାଇଁ ଉଦ୍ଦିଷ୍ଟ ।
ଶ୍ରୀ ଅନନ୍ତ ନାରାୟଣ ଜେନା କହିଛନ୍ତି, ଦେଶର ୧୮ଟି ରାଜ୍ୟରେ ମେଟ୍ରୋ ପ୍ରକଳ୍ପ ସଫଳତାର ସହିତ ଚାଲୁଛି । ଗମନାଗମନ କ୍ଷେତ୍ରରେ ମେଟ୍ରୋ ଏକ ମାଇଲଖୁଣ୍ଟ ହୋଇଥାନ୍ତା । ପୂର୍ବରୁ ଡିପିଆର ପ୍ରସ୍ତୁତ ହେବା ସମୟରେ ଏହା କ୍ଷତି ହେବ ବୋଲି ଆକଳନ ହୋଇନଥିଲା । ଏବେ କିପରି କ୍ଷତି ହେବ ବୋଲି କୁହାଯାଉଛି? ମେଟ୍ରୋ ଚାଲିଲେ ବର୍ଷକୁ ଦୁଇ ହଜାର କୋଟି ଟଙ୍କା କ୍ଷତି ହେବ ବୋଲି ରାଜ୍ୟ ବିଜେପି ସରକାର କହୁଥିବା କଥା କେବଳ ମନଗଢା କାହାଣୀ । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମେଟ୍ରୋ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲେ, ନବୀନ ପଟ୍ଟନାୟକଙ୍କୁ ଶ୍ରେୟ ମିଳିବ ବୋଲି ବିଜେପି ସରକାର ଏଭଳି ନିଷ୍ପତ୍ତି ନେଇଛି । ରାଜ୍ୟବାସୀ ଓ ଭବିଷ୍ୟତ ପିଢ଼ିଙ୍କ ପ୍ରତି ଡବଲ ଇଞ୍ଜିନ ସରକାରଙ୍କ ଏହା ଚରମ ପ୍ରତାରଣା ।
ଶ୍ରୀ ସୁବାଷ ସିଂ କହିଛନ୍ତି, ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ, କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ ଏକ ଜଏଣ୍ଟ ଭେଞ୍ଚର କମ୍ପାନୀ । ଗ୍ଲୋବାଲ ଟେଣ୍ଡର ମାଧ୍ୟମରେ ୬୨୫୫.୯୪ କୋଟି ଟଙ୍କାର ମେଟ୍ରୋ ପ୍ରକଳ୍ପ ନବୀନ ବାବୁ ଆରମ୍ଭ କରିଥିଲେ । ମେଟ୍ରୋ ପ୍ରକଳ୍ପ ବନ୍ଦ ନିଷ୍ପତ୍ତିକୁ ରାଜ୍ୟବାସୀ କେବେ କ୍ଷମା ଦେବେ ନାହିଁ । ୨୦୦୭ ମସିହାରୁ ରାଜ୍ୟରେ କଟକ ଓ ଭୁବନେଶ୍ୱର ମଧ୍ୟରେ ମେଟ୍ରୋ ଚଳାଚଳ ପାଇଁ ଦାବି ହୋଇ ଆସୁଥିଲା । କେନ୍ଦ୍ର ସରକାର ସହାୟତା ନ ଦେବାରୁ ନବୀନ ସରକାର ନିଜସ୍ୱ ସମ୍ବଳରେ ୨୦୨୩ ମସିହାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିଥିଲେ ।
ଶ୍ରୀମତୀ ସୁଲୋଚନା ଦାସ କହିଛନ୍ତି, ମେଟ୍ରୋ ପ୍ରକଳ୍ପ କେବଳ ଭୁବନେଶ୍ୱର ଓ କଟକ ବାସିନ୍ଦାଙ୍କ ପାଇଁ ନୁହେଁ ବରଂ ସମଗ୍ର ରାଜ୍ୟବାସୀଙ୍କ ପାଇଁ ଏକ ଗର୍ବର ବିଷୟ ଥିଲା । ଡବଲ ଇଞ୍ଜିନ ଡବଲ ବିକାଶ ନାରା ଦେଇଥିବା ସରକାର ୨୦୩୬ ମସିହାରେ ବିକଶିତ ଓଡିଶା ଗଠନ କଥା କହୁଛନ୍ତି । ମେଟ୍ରୋ ପ୍ରକଳ୍ପ ବିନା ବିକଶିତ ଓଡିଶା ଗଠନ ସ୍ୱପ୍ନ ଦେଖିବା କେତେଦୂର ଯୁକ୍ତିଯୁକ୍ତ । ଭୁବନେଶ୍ୱର, କଟକ, ପୁରୀ, ପାରାଦ୍ୱୀପ ଅର୍ଥନୈତିକ ରିଜିଅନ ପାଇଁ ମେଟ୍ରୋ ଏକ ନୂତନ ସମ୍ଭାବନା ହେବାକୁ ଯାଉଥିଲା । ତେଣୁ ରାଜ୍ୟ ସରକାର ମେଟ୍ରୋ ରେଳ ପ୍ରକଳ୍ପର ବାତିଲ ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ ।
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved