ଏପରି ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ଟିଟିଲାଗଡ଼ରେ । ଚାଲିଥିଲା ରାମ ନବମୀ ଶୋଭାଯାତ୍ରା। ସାମିଲ ଥିଲେ ଶହ ଶହ ଲୋକ । ଚାରିଆଡେ ଗୁଞ୍ଜରିତ ହେଉଥିଲା ରାମ ନାମ । ହେଲେ ହଠାତ ଏମିତି କ'ଣ ହେଲା ଯେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ପବନରେ ଚଳାଇଲେ ଫାଙ୍କା ଗୁଳି।
ସୂଚନା ଅନୁଯାୟୀ, ରାମନବମୀ ପାଇଁ ଟିଟିଲାଗଡ଼ ସହରରେ ଏକ ବିରାଟ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା।ସେଠାରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଫୁଟାଇଲେ ଫାଙ୍କା ଗୁଳି। ତାଙ୍କ ପିଏସଓଙ୍କ ବନ୍ଧୁକରୁ ବିଧାୟକ ଗୁଳି ଫୁଟାଇଛନ୍ତି। ସେହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଶହଶହ ଲୋକ। ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। କିପରି ଜଣେ ବିଧାୟକ ଏତେ ଲୋକଙ୍କର ସୁରକ୍ଷା କଥା ନଭାବି ଗୁଳି ଚଳାଇ ପାରିବେ? କିଏ ଦେଲା ତାଙ୍କୁ ଅଧିକାର?
ଏହାକୁ ନେଇ ବଲାଙ୍ଗୀର ଜିଲ୍ଲାପୁଲିସ ବଡ଼ ଆକ୍ସନ ନେଇଛନ୍ତି । ଟିଟିଲାଗଡ଼ ଥାନା ଏସ୍ଆଇଙ୍କ ଅଭିଯୋଗ ଆଧାରରେ ବିଧାୟକ ଓ ପ୍ରେମଚାନ୍ଦ ନାଗଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଜିଲ୍ଲା ପୁଲିସ ମୁଖ୍ୟାଳୟ ପ୍ରଥମେ ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ ଅଙ୍ଗରକ୍ଷୀଙ୍କୁ ନୋଟିସ କରିଥିଲା । ଏହାପରେ ତୁରନ୍ତ ତାଙ୍କୁ ବିଭାଗ ତରଫରୁ ନିଲମ୍ବନ କରାଯାଇଛି । ବର୍ତମାନ ଏହାକୁ ନେଇ ମୁହଁ ଖୋଲିଛନ୍ତି ଖୋଦ ବିଧାୟକ ନବୀନ ଜୈନ।
ସେ କହିଛନ୍ତି, ମୁଁ ଖେଳନା ବନ୍ଧୁକ ଧରି ଫଟକା ଫୁଟାଇଛି। ହେଲେ ସୋସିଆଲ ମିଡ଼ିଆରେ ଭାଇରାଲ ଭିଡିଓ କିନ୍ତୁ କିଛି ଅଲଗା କଥା କହୁଛି । ବିଧାୟକ ଫାଙ୍କା ଗୁଳି ଚଳାଉଥିବା ବେଳେ ପିଏସ୍ଓ ତାଙ୍କ ହାତ ଧରୁଥିବାର ଦେଖିବାକୁ ମିଳିଥିଲା। ହେଲେ ଜେରା ବେଳେ ପିଏସ୍ଓ କହିଥିଲେ ଯେ ଉପରେ ଏକ ବିଦ୍ୟୁତ୍ ତାର ଥିଲା। ସେଥିରେ ଗୁଳି ବାଜିଲେ ବଡ଼ ଅଘଟଣ ଘଟିବା ଆଶଙ୍କା କରି ସେ ବିଧାୟକଙ୍କ ହାତ ଧରି ଦିଗ ବଦଳାଇ ଦେଇଥିଲେ। ଫଳରେ ଫାଙ୍କା ଏରିଆରେ ଗୁଳି ଫୁଟିଥିଲା। ଏହି ଘଟଣା ପରେ ବନ୍ଧୁକ ଲାଇସେନ୍ସ ପାଇବା ନେଇ ବିଧାୟକ ଶ୍ରୀ ଜୈନଙ୍କ ଦକ୍ଷତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପିଏସ୍ଓଙ୍କ ନିଲମ୍ବିତ ପରେ ବିଧାୟକଙ୍କ ଉପରେ କଣ କାର୍ଯ୍ୟାନୁଷ୍ଠାନ କରାଯିବ ତା ଉପରେ ରହିଛି ନଜର।
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved