ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଖୁବଶୀଘ୍ର ୟୁନେସ୍କୋ (UNESCO) ମାନ୍ୟତା ମିଳିପାରେ। ଏଥିପାଇଁ ରାଜ୍ୟ ସଂସ୍କୃତି ବିଭାଗ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଚେଷ୍ଟା କରାଯାଇଛି। ୟୁନେସ୍କୋର ସାଂସ୍କୃତିକ ଐତିହ୍ୟ ବା ‘ଇନଟାଞ୍ଜିବଲ୍ ହେରିଟେଜ୍’ ତାଲିକାରେ ରଥଯାତ୍ରାକୁ ସାମିଲ କରିବା ପାଇଁ ନାମାଙ୍କନ ପ୍ରକ୍ରିୟା ସଫଳତାର ସହ ଶେଷ ହୋଇଛି। ପୂର୍ବରୁ ଏନେଇ ଚିଠି ଦିଆଯାଇଥିବା ବେଳେ, ଚଳିତ ବର୍ଷ ୟୁନେସ୍କୋକୁ ରଥଯାତ୍ରାର ଏକ ସମ୍ପୂର୍ଣ୍ଣ ତଥ୍ୟଭିତ୍ତିକ ଚିତ୍ର ଓ ଦସ୍ତାବେଜ୍ ପଠାଯାଇଛି। ବିଶ୍ୱର ୪୦ରୁ ଅଧିକ ପର୍ବକୁ ୟୁନେସ୍କୋ ମାନ୍ୟତା ମିଳିଥିବା ବେଳେ ଭାରତର କେବଳ ଦୁଇଟି ପର୍ବ ଏହି ଗୌରବ ହାସଲ କରିଛନ୍ତି। ଏବେ ଏହି ପ୍ରତିଷ୍ଠିତ ତାଲିକାରେ ଆଗକୁ ଯୋଡ଼ି ହେବାକୁ ଯାଉଛି ମହାବାହୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା।
ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗର ଅନୁମତି କ୍ରମେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ ସରିଛି। ଏହି ପ୍ରକ୍ରିୟାରେ ରଥଯାତ୍ରାର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଦିଗକୁ ସାମିଲ କରାଯାଇଛି । ଅକ୍ଷୟ ତୃତୀୟାରୁ ରଥ ଅନୁକୂଳ ଠାରୁ ଆରମ୍ଭ କରି ଚନ୍ଦନ ଯାତ୍ରା, ଅଣସର, ରଥଯାତ୍ରା, ବାହୁଡ଼ା ଏବଂ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତିର ଭିଡିଓ ଫୁଟେଜ୍ ଦାଖଲ କରାଯାଇଛି। ଆସନ୍ତା ନଭେମ୍ବର ମାସରେ ପ୍ୟାରିସଠାରେ ବସିବାକୁ ଥିବା ୟୁନେସ୍କୋ ବୈଠକରେ ଏହା ଉପରେ ବିଭିନ୍ନ ଦେଶର ଭୋଟିଂ ପ୍ରକ୍ରିୟା ଅନୁଷ୍ଠିତ ହେବ।
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved